ବେଙ୍ଗାଲୁରୁରେ ଜଣେ ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀଙ୍କ ଅକାଳ ବିୟୋଗ ସମଗ୍ର କଳାଜଗତକୁ ନିର୍ବାକ କରିଛି। ତାମିଲ ଓ କନ୍ନଡ ଧାରାବାହିକରେ ନିଜର ଅଭିନୟ ପ୍ରତିଭା ପାଇଁ ପରିଚିତ ନନ୍ଦିନୀ ସିଏମ୍ ବେଙ୍ଗାଲୁରୁ କେଙ୍ଗେରୀ ଅଞ୍ଚଳରେ ଥିବା ଏକ PG ଆବାସରେ ମୃତ ଅବସ୍ଥାରେ ମିଳିଛନ୍ତି।
ପୋଲିସ ତଦନ୍ତରେ ଜଣାପଡ଼ିଛି ଯେ, ଘଟଣାସ୍ଥଳରୁ ମିଳିଥିବା ଡେଥ୍ ନୋଟ୍ରେ ସେ ନିଜର ଦୀର୍ଘଦିନର ମାନସିକ ଅବସାଦ ବିଷୟରେ ଉଲ୍ଲେଖ କରିଛନ୍ତି। ପରିବାର ପକ୍ଷରୁ ବିବାହ କରିବା ଓ ଅଭିନୟ ଛାଡ଼ି ସରକାରୀ ଚାକିରି କରିବାକୁ ଦିଆଯାଉଥିବା ଚାପ ତାଙ୍କୁ ଭିତରୁ ଭାଙ୍ଗିଦେଇଥିବା କଥା ସେ ଚିଠିରେ ଲେଖିଥିଲେ।
ନନ୍ଦିନୀ ବର୍ତ୍ତମାନ ଏକ ଲୋକପ୍ରିୟ ଧାରାବାହିକରେ ଦ୍ୱୈତ ଭୂମିକାରେ ଅଭିନୟ କରୁଥିଲେ ଏବଂ ନିଜ କାର୍ଯ୍ୟଦ୍ୱାରା ଦର୍ଶକଙ୍କ ମନ ଜିତିଥିଲେ। ସୋସିଆଲ ମିଡିଆରେ ତାଙ୍କ ଏକ ପୁରୁଣା ଅନ୍-ସ୍କ୍ରିନ୍ ଦୃଶ୍ୟକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି, ଯେଉଁଥିରେ ତାଙ୍କ ଚରିତ୍ର ଆତ୍ମହତ୍ୟା କରୁଥିଲା।
ବେଙ୍ଗାଲୁରୁ ପୋଲିସ ଏହି ଘଟଣାକୁ ଅପମୃତ୍ୟୁ ମାମଲା ଭାବେ ରୁଜୁ କରି ତଦନ୍ତ ଜାରି ରଖିଛି। ତାଙ୍କ ଅକାଳ ବିୟୋଗରେ ଶିଳ୍ପଜଗତ ଓ ଭକ୍ତମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।